130
ସହାୟତା ପାଇଁ ପ୍ରାର୍ଥନା
ଆରୋହଣ ଗୀତ।
1 ହେ ସଦାପ୍ରଭୋ, ମୁଁ ଗଭୀର ଜଳରେ ଥାଇ ତୁମ୍ଭ ନିକଟରେ ଡାକ ପକାଇଅଛି।
2 ହେ ପ୍ରଭୋ, ମୋʼ ରବ ଶୁଣ;
ତୁମ୍ଭ କର୍ଣ୍ଣ ମୋʼ ବିନତି-ରବରେ ମନୋଯୋଗ କରୁ।
3 ହେ ସଦାପ୍ରଭୋ, ତୁମ୍ଭେ ଯଦି ଅପରାଧସବୁ ଧରିବ,
ତେବେ ହେ ପ୍ରଭୋ, କିଏ ଠିଆ ହେବ?
4 ମାତ୍ର ତୁମ୍ଭଙ୍କୁ ଯେପରି ଭୟ କରାଯାଏ,
ଏଥିପାଇଁ ତୁମ୍ଭଠାରେ କ୍ଷମା ଅଛି।
5 ମୁଁ ସଦାପ୍ରଭୁଙ୍କର ଅପେକ୍ଷା କରୁଅଛି, ମୋʼ ପ୍ରାଣ ଅପେକ୍ଷା କରୁଅଛି,
ପୁଣି, ମୁଁ ତାହାଙ୍କ ବାକ୍ୟରେ ଭରସା ରଖୁଅଛି।
6 ପ୍ରହରୀମାନେ ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ମୋʼ ପ୍ରାଣ ପ୍ରଭୁଙ୍କ ପାଇଁ ଅଧିକ ଚାହିଁ ରହେ;
ହଁ, ପ୍ରହରୀମାନଙ୍କର ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ଅଧିକ।
7 ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ;
କାରଣ ସଦାପ୍ରଭୁଙ୍କଠାରେ ଦୟା ଅଛି
ଓ ତାହାଙ୍କଠାରେ ପ୍ରଚୁର ମୁକ୍ତି ଅଛି।
8 ପୁଣି, ସେ ଇସ୍ରାଏଲକୁ
ତାହାର ସମସ୍ତ ଅପରାଧରୁ ମୁକ୍ତ କରିବେ।