118
ବିଜୟ ପାଇଁ ଧନ୍ୟବାଦ ପ୍ରାର୍ଥନା
1 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ;
ହଁ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
2 ଇସ୍ରାଏଲ ଏବେ କହନ୍ତୁ ଯେ,
ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ।
3 ହାରୋଣ-ବଂଶ ଏବେ କହନ୍ତୁ ଯେ,
ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ।
4 ଏବେ ସଦାପ୍ରଭୁଙ୍କର ଭୟକାରୀମାନେ କହନ୍ତୁ ଯେ,
ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ।
5 ମୁଁ ସଙ୍କଟ କାଳରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି;
ସଦାପ୍ରଭୁ ମୋତେ ଉତ୍ତର ଦେଇ ପ୍ରଶସ୍ତ ସ୍ଥାନରେ ସ୍ଥାପନ କଲେ।
6 ସଦାପ୍ରଭୁ ମୋହର ସପକ୍ଷ; ମୁଁ ଭୟ କରିବି ନାହିଁ;
ମନୁଷ୍ୟ ମୋହର କଅଣ କରିପାରେ?
7 ମୋହର ସହାୟମାନଙ୍କ ସହିତ ସଦାପ୍ରଭୁ ମୋହର ସପକ୍ଷ;
ଏହେତୁ ମୁଁ ଆପଣା ଘୃଣାକାରୀମାନଙ୍କ ଉପରେ ଆପଣା ବାଞ୍ଛାର ସିଦ୍ଧି ଦେଖିବି।
8 ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା
ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ।
9 ଅଧିପତିମାନଙ୍କ ଉପରେ ନିର୍ଭର ରଖିବା ଅପେକ୍ଷା
ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ।
10 ସମୁଦାୟ ଗୋଷ୍ଠୀବର୍ଗ ମୋତେ ଚାରିଆଡ଼େ ଘେରିଲେ;
ସଦାପ୍ରଭୁଙ୍କ ନାମରେ* ନାମରେ ଅର୍ଥାତ୍ ବଳରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି।
11 ସେମାନେ ମୋତେ ଚାରିଆଡ଼େ ଘେରିଲେ; ହଁ, ସେମାନେ ମୋତେ ଚାରିଆଡ଼େ ଘେରିଲେ;
ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି।
12 ସେମାନେ ମହୁମାଛି ପରି ମୋତେ ଚାରିଆଡ଼େ ଘେରିଲେ;
ସେମାନେ କଣ୍ଟା ନିଆଁ ପରି ଲିଭି ଯାଇଅଛନ୍ତି;
ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି।
13 ମୁଁ ଯେପରି ନିପତିତ ହେବି, ଏଥିପାଇଁ ତୁମ୍ଭେ ମୋତେ ଭାରୀ ଧକ୍କା ଦେଲ;
ମାତ୍ର ସଦାପ୍ରଭୁ ମୋହର ସାହାଯ୍ୟ କଲେ।
14 ସଦାପ୍ରଭୁ ମୋହର ବଳ ଓ ଗାନ;
ପୁଣି, ସେ ମୋହର ପରିତ୍ରାଣ ହୋଇଅଛନ୍ତି।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ପରିତ୍ରାଣର ଧ୍ୱନି ଥାଏ;
ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ଉନ୍ନତ;
ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ।
17 ମୁଁ ମରିବି ନାହିଁ, ମାତ୍ର ବଞ୍ଚିବି
ଓ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ଭାରୀ ଶାସ୍ତି ଦେଇଅଛନ୍ତି;
ମାତ୍ର ସେ ମୃତ୍ୟୁୁ ହସ୍ତରେ ମୋତେ ସମର୍ପି ଦେଇ ନାହାନ୍ତି।
19 ମୋʼ ପାଇଁ ଦ୍ୱାରସବୁ ଫିଟାଅ ଯଦ୍ଦ୍ୱାରା ଧାର୍ମିକମାନେ ପ୍ରବେଶ କରନ୍ତି;
ମୁଁ ତହିଁ ମଧ୍ୟରେ ପ୍ରବେଶ କରି ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
20 ଏହି ସଦାପ୍ରଭୁଙ୍କ ଦ୍ୱାର;
ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରିବେ।
21 ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି, କାରଣ ତୁମ୍ଭେ ମୋତେ ଉତ୍ତର ଦେଇଅଛ
ଓ ମୋହର ପରିତ୍ରାଣ ହୋଇଅଛି।
22 ଗାନ୍ଥକମାନେ ଯେଉଁ ପଥର ଅଗ୍ରାହ୍ୟ କଲେ,
ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହା ସଦାପ୍ରଭୁଙ୍କ କର୍ମ;
ଏହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟ।
24 ଏହା ସଦାପ୍ରଭୁଙ୍କ କୃତ ଦିନ;
ଆମ୍ଭେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା।
25 ହେ ସଦାପ୍ରଭୋ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ପରିତ୍ରାଣ କର;
ହେ ସଦାପ୍ରଭୋ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ସଫଳତା ଆଜ୍ଞା କର।
26 ସଦାପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ;
ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହରୁ ତୁମ୍ଭକୁ ଆଶୀର୍ବାଦ କରିଅଛୁ।
27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି ଓ ସେ ଆମ୍ଭମାନଙ୍କୁ ଦୀପ୍ତି ଦେଇଅଛନ୍ତି;
ବେଦିର ଶୃଙ୍ଗରେ ରଜ୍ଜୁ ଦ୍ୱାରା ବଳିକୁ ବାନ୍ଧ।
28 ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି;
ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି।
29 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ;
ହଁ, ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ।