ଗୀତସଂହିତା
ଲେଖକ
ଗୀତସଂହିତା, ହେଉଛି ଗୀତ ଓ କାବ୍ୟର ଏକତ୍ରୀକରଣ, ଏହା ପୁରାତନ ନିୟମର ଏକ ପୁସ୍ତକ ଅଟେ ଯାହା ଭିନ୍ନ ଭିନ୍ନ ଲେଖକଙ୍କ ଦ୍ଵାରା ରଚିତ; ଦାଉଦ 73 ଟି ରଚନା କରିଛନ୍ତି, ଆସଫ 12 ଟି ଗୀତର ରଚନା କରିଛନ୍ତି, କୋରହର ସନ୍ତାନମାନେ 9 ଟି ଗୀତ, ଶଲୋମନ 3 ଟି ଗୀତ, ଏଥନ୍‍ ଏବଂ ମୋଶା ଦୁଇ ଜଣ ଗୋଟିଏ ଗୀତ ରଚନା କରିଛନ୍ତି (ଗୀତ. 90)। ଏବଂ 51 ଟି ଗୀତର ରଚକ ଅଜ୍ଞାତ। ଶଲୋମନ ଏବଂ ମୋଶାଙ୍କ ବ୍ୟତୀତ, ଏହି ସମସ୍ତ ଲେଖକଗଣ ହେଉଛନ୍ତି ଯାଜକ କିମ୍ବା ଲେବୀୟ ଯେଉଁମାନେ ଦାଉଦଙ୍କ ରାଜତ୍ୱ ସମୟରେ ପବିତ୍ର ସ୍ଥାନ ଉପାସନାରେ ସଂଗୀତ ବଜାଇବା ଦାୟିତ୍ଵରେ ଥିଲେ।
ସମୟ ଓ ସ୍ଥାନ
ପ୍ରାୟ 1440-430 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ଇତିହାସରେ ମୋଶାଙ୍କ ସମୟରେ, ଦାଉଦଙ୍କ ସମୟଠାରୁ ଆସଫ ଏବଂ ଶଲୋମନଙ୍କ ଦ୍ଵାରା ଏଜ୍ରିୟମାନଙ୍କ ସମୟ ପର୍ଯ୍ୟନ୍ତ ବ୍ୟକ୍ତିଗତ ଗୀତଗୁଡ଼ିକ ରଚନା କରାଯାଇଥିଲା, ଯେଉଁମାନେ ବାବିଲର ବନ୍ଦୀ ଅବସ୍ଥା ପରେ ବାସ କରୁଥିଲେ, ଏହି ପୁସ୍ତକରେ ପ୍ରାୟ 1000 ବର୍ଷର ଗୀତଗୁଡ଼ିକ ଅଛି।
ପ୍ରାପକ
ଇସ୍ରାଏଲ ଦେଶକୁ ଏକ ସ୍ମାରକ ଭାବେ ଯାହା ପରମେଶ୍ୱର ସେମାନଙ୍କ ନିମନ୍ତେ ଏବଂ ବିଶ୍ଵାସୀମାନଙ୍କ ନିମନ୍ତେ ଇତିହାସରେ କରିଛନ୍ତି।
ଉଦ୍ଦେଶ୍ୟ
ଗୀତସଂହିତା ପରମେଶ୍ୱର ଏବଂ ସୃଷ୍ଟି, ଯୁଦ୍ଧ, ଉପାସନା, ବୁଦ୍ଧି, ପାପ ଏବଂ ମନ୍ଦ, ବିଚାର, ନ୍ୟାୟ, ଏବଂ ଖ୍ରୀଷ୍ଟଙ୍କର ଆସିବା ପରି ବିଷୟଗୁଡ଼ିକ ବର୍ଣ୍ଣନା କରେ। ଏହାର ଅନେକ ପୃଷ୍ଠାଗୁଡ଼ିକ ମଧ୍ୟରେ ଗୀତସଂହିତାଗୁଡ଼ିକ ଏହାର ପାଠକମାନଙ୍କୁ ପରମେଶ୍ୱର କିଏ ଏବଂ ସେ କʼଣ କରିଅଛନ୍ତି ତାହା ପ୍ରଶଂସା କରିବାକୁ ଉତ୍ସାହିତ କରେ। ଗୀତସଂହିତା ଆମ୍ଭମାନଙ୍କ ପରମେଶ୍ୱରଙ୍କ ମହାନତାକୁ ବ୍ୟାଖ୍ୟା କରେ, ଅସୁବିଧାରେ ତାହାଙ୍କ ବିଶ୍ଵସ୍ତତାକୁ ଆମ୍ଭମାନଙ୍କୁ ପ୍ରତିଜ୍ଞାନ କରାଏ ଏବଂ ତାହାଙ୍କ ବାକ୍ୟର ସମ୍ପୂର୍ଣ୍ଣ କେନ୍ଦ୍ରତାକୁ ସ୍ମରଣ କରାଏ।
ବିଷୟବସ୍ତୁ
ପ୍ରଶଂସା
ରୂପରେଖା
1. ଖ୍ରୀଷ୍ଟଙ୍କର ଗୀତ — 1:1-41:13
2. ବାଞ୍ଛାର ଗୀତ — 42:1-72:20
3. ଇସ୍ରାଏଲର ଗୀତ — 73:1-89:52
4. ପରମେଶ୍ୱରଙ୍କ ରାଜତ୍ଵର ଗୀତ — 90:1-106:48
5. ପ୍ରଶଂସାର ଗୀତ — 107:1-150:6
ପ୍ରଥମ ଖଣ୍ଡ
1
୧:୧-୪୧:୧୩
ସଫଳତାର ପଥ
ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ,
ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ,
କିଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ,
ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ
ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ।
ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ,
ଯେ ସ୍ୱସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ
ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ;
ପୁଣି, ସେ ଯାହା କରେ, ତାହା ସଫଳ ହେବ।
ଦୁଷ୍ଟମାନେ ସେପ୍ରକାର ନୁହନ୍ତି;
ମାତ୍ର ବାୟୁ ଦ୍ୱାରା ଚାଳିତ ତୁଷ ତୁଲ୍ୟ ଅଟନ୍ତି।
ଏହେତୁ ଦୁଷ୍ଟମାନେ ବିଚାର ସ୍ଥାନରେ, ଅବା
ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ ଠିଆ ହେବେ ନାହିଁ।
କାରଣ ସଦାପ୍ରଭୁ ଧାର୍ମିକମାନଙ୍କ ପଥ ଜାଣନ୍ତି; ମାତ୍ର
ଦୁଷ୍ଟମାନଙ୍କ ପଥ ବିନଷ୍ଟ ହେବ।