141
ସନ୍ଧ୍ୟା ପ୍ରାର୍ଥନା
ଦାଉଦଙ୍କର ଗୀତ।
ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି; ମୋʼ ପକ୍ଷରେ ସତ୍ୱର ହୁଅ;
ମୁଁ ଡାକିବା ବେଳେ ମୋʼ ରବରେ କର୍ଣ୍ଣ ଦିଅ।
ସୁଗନ୍ଧି ଧୂପ ପରି ମୋʼ ପ୍ରାର୍ଥନା,
ସନ୍ଧ୍ୟାକାଳୀନ ନୈବେଦ୍ୟ ପରି ମୋହର ହସ୍ତ ଉତ୍ତୋଳନ ତୁମ୍ଭ ଛାମୁରେ ଉପସ୍ଥିତ ହେଉ।
ହେ ସଦାପ୍ରଭୋ, ମୋʼ ମୁଖ ଆଗରେ ପ୍ରହରୀ ନିଯୁକ୍ତ କର;
ମୋʼ ଓଷ୍ଠାଧରର କବାଟ ରକ୍ଷା କର।
ଅଧର୍ମାଚାରୀ ଲୋକମାନଙ୍କ ସଙ୍ଗେ ଦୁଷ୍ଟ କ୍ରିୟାରେ
ନିଯୁକ୍ତ ହେବା ପାଇଁ କୌଣସି ମନ୍ଦ ବିଷୟରେ ମୋʼ ଚିତ୍ତକୁ ପ୍ରବର୍ତ୍ତାଅ ନାହିଁ
ଓ ସେମାନଙ୍କ ସୁସ୍ୱାଦୁ ଭକ୍ଷ୍ୟ ଭୋଜନ କରିବାକୁ ମୋତେ ଦିଅ ନାହିଁ।
ଧାର୍ମିକ ଲୋକ ମୋତେ ପ୍ରହାର କରୁ, ତାହା ମୋʼ ପ୍ରତି ଦୟା ହେବ
ଓ ସେ ମୋତେ ଅନୁଯୋଗ କରୁ, ତାହା ମସ୍ତକରେ ତୈଳ ସ୍ୱରୂପ ହେବ;
ମୋʼ ମସ୍ତକ ତାହା ଅଗ୍ରାହ୍ୟ ନ କରୁ;
ସେମାନଙ୍କର ନାନା ଦୁଷ୍ଟତା ସମୟରେ ମୋହର ପ୍ରାର୍ଥନା ଚଳୁଥିବ।
ସେମାନଙ୍କ ବିଚାରକର୍ତ୍ତାମାନେ ଶୈଳ ପାର୍ଶ୍ୱରେ ନିକ୍ଷିପ୍ତ ହୋଇଅଛନ୍ତି;
ମୋହର ବାକ୍ୟ ମଧୁର, ଏଣୁ ସେମାନେ ତାହା ଶୁଣିବେ।
କେହି ଭୂମି ଚାଷ ଓ ବିଦୀର୍ଣ୍ଣ କରିବା ବେଳେ ଯେପରି,
ସେପରି କବର ମୁଖରେ ଆମ୍ଭମାନଙ୍କ ଅସ୍ଥିସବୁ ଛିନ୍ନଭିନ୍ନ ହୋଇଅଛି।
କାରଣ ହେ ପ୍ରଭୋ ସଦାପ୍ରଭୋ, ମୋʼ ଦୃଷ୍ଟି ତୁମ୍ଭଆଡ଼େ ଅଛି;
ମୁଁ ତୁମ୍ଭଠାରେ ଭରସା ରଖିଅଛି; ମୋʼ ପ୍ରାଣକୁ ଅନାଥ କରି ତ୍ୟାଗ କର ନାହିଁ।
ମୋʼ ନିମନ୍ତେ ସେମାନଙ୍କ ପାତିତ ଫାନ୍ଦରୁ
ଓ ଅଧର୍ମାଚାରୀମାନଙ୍କ ଯନ୍ତାରୁ ମୋତେ ରକ୍ଷା କର।
10 ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ,
ସେହି ଅବସରରେ ମୁଁ ରକ୍ଷା ପାଏ।