22
ବେଦନାର କ୍ରନ୍ଦନ ଓ ପ୍ରଶଂସାର ସଂଗୀତ
ପ୍ରଧାନ ବାଦ୍ୟକର ନିମନ୍ତେ ଆୟେଲତ୍‍-ହସଶହର (ଅଋଣର ମୃଗୀ) ସ୍ୱରରେ ଦାଉଦଙ୍କର ଗୀତ।
 
ହେ ମୋହର ପରମେଶ୍ୱର, ହେ ମୋହର ପରମେଶ୍ୱର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ?
ମୋତେ ସାହାଯ୍ୟ କରିବାରୁ ଓ ମୋʼ ଆର୍ତ୍ତନାଦର ଉକ୍ତିରୁ ତୁମ୍ଭେ କାହିଁକି ଏତେ ଦୂରରେ ରହୁଅଛ?
ହେ ମୋହର ପରମେଶ୍ୱର, ମୁଁ ଦିନ ବେଳେ ଡାକେ, ମାତ୍ର ତୁମ୍ଭେ ଉତ୍ତର ଦେଉ ନାହଁ,
ଆଉ ରାତ୍ରିକାଳରେ ଡାକେ, ପୁଣି, ନୀରବ ନ ରହେ।
ତଥାପି ହେ ଇସ୍ରାଏଲର ପ୍ରଶଂସା-ନିବାସୀନ୍‍,
ତୁମ୍ଭେ ପବିତ୍ର ଅଟ।
ଆମ୍ଭମାନଙ୍କ ପୂର୍ବପୁରୁଷଗଣ ତୁମ୍ଭଠାରେ ବିଶ୍ୱାସ କଲେ;
ସେମାନେ ବିଶ୍ୱାସ କଲେ, ଆଉ ତୁମ୍ଭେ ସେମାନଙ୍କୁ ଉଦ୍ଧାର କଲ।
ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କଲେ ଓ ଉଦ୍ଧାର ପାଇଲେ;
ସେମାନେ ତୁମ୍ଭଠାରେ ବିଶ୍ୱାସ କଲେ, ଆଉ ଲଜ୍ଜିତ ନୋହିଲେ।
ମାତ୍ର ମୁଁ କୀଟ, ମନୁଷ୍ୟ ନୁହେଁ;
ମନୁଷ୍ୟମାନଙ୍କର ନିନ୍ଦାପାତ୍ର ଓ ଲୋକମାନଙ୍କର ଅବଜ୍ଞାତ।
ମୋତେ ଦେଖିବା ଲୋକ ସମସ୍ତେ ମୋତେ ପରିହାସ କରନ୍ତି;
ସେମାନେ ଓଷ୍ଠ ଲମ୍ବାଇ, ମସ୍ତକ ହଲାଇ କହନ୍ତି,
“ସଦାପ୍ରଭୁଙ୍କଠାରେ ସେ ଆପଣାକୁ ସମର୍ପଣ କଲା;
ସେ ତାହାକୁ ଉଦ୍ଧାର କରନ୍ତୁ;
ସେ ତାହାଠାରେ ସନ୍ତୁଷ୍ଟ, ତେଣୁ ସେ ତାହାକୁ ଉଦ୍ଧାର କରନ୍ତୁ।”
ମାତ୍ର ତୁମ୍ଭେ ହିଁ ମୋତେ ଗର୍ଭରୁ ବାହାର କରି ଆଣିଅଛ;
ମୁଁ ଆପଣା ମାତୃ-କୋଳରେ ଥିବା ସମୟରେ ତୁମ୍ଭେ ମୋହର ବିଶ୍ୱାସ ଜନ୍ମାଇଅଛ।
10 ଗର୍ଭରୁ ମୁଁ ତୁମ୍ଭଠାରେ ସମର୍ପିତ ହୋଇଥିଲି;
ମୋହର ମାତାର ଉଦରରୁ ତୁମ୍ଭେ ମୋହର ପରମେଶ୍ୱର ଅଟ।
11 ମୋʼ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ; କାରଣ ସଙ୍କଟ ସନ୍ନିକଟ;
ସାହାଯ୍ୟକାରୀ କେହି ନାହିଁ।
12 ଅନେକ ବୃଷ ମୋତେ ବେଷ୍ଟନ କରିଅଛନ୍ତି;
ବାଶନ ଦେଶର ବଳବାନ ବୃଷଗଣ ମୋତେ ଘେରିଅଛନ୍ତି।
13 ସେମାନେ ଗ୍ରାସ କରିବାକୁ ଇଚ୍ଛା ଓ ଗର୍ଜ୍ଜନକାରୀ ସିଂହ ତୁଲ୍ୟ
ମୋʼ ପ୍ରତି ମୁଖ ମେଲାଇ ଅଛନ୍ତି।
14 ମୁଁ ଜଳ ପରି ଢଳା ହେଉଅଛି
ଓ ମୋହର ସବୁ ଅସ୍ଥି ସନ୍ଧିରୁ ଖସି ପଡ଼ୁଅଛି।
ମୋହର ହୃଦୟ ମହମ ପରି ହୋଇଅଛି;
ତାହା ମୋʼ ଅନ୍ତ୍ର ମଧ୍ୟରେ ତରଳି ଯାଏ।
15 ମୋହର ବଳ ଖପରା ପରି ଶୁଷ୍କ ହୋଇଅଛି;
ଆଉ, ମୋହର ଜିହ୍ୱା ତାଳୁରେ ଲାଗି ଯାଉଅଛି; ପୁଣି,
ତୁମ୍ଭେ ମୋହର ମୃତ୍ୟୁର ଧୂଳି କି ଆଣିଅଛ।
16 କାରଣ କୁକ୍କୁରମାନେ ମୋତେ ବେଷ୍ଟନ କରିଅଛନ୍ତି;
ଦୁରାଚାରୀମାନଙ୍କ ମଣ୍ଡଳୀ ମୋତେ ବେଢ଼ିଅଛନ୍ତି;
ସେମାନେ ମୋହର ହସ୍ତ ପାଦ ବିଦ୍ଧ କରିଅଛନ୍ତି।
17 ମୁଁ ଆପଣା ଅସ୍ଥିସବୁ ଗଣିପାରେ;
ସେମାନେ ମୋତେ ଅନାଇ ଚାହିଁ ରହିଥାʼନ୍ତି।
18 ସେମାନେ ଆପଣାମାନଙ୍କ ମଧ୍ୟରେ ମୋହର ବସ୍ତ୍ର ବିଭାଗ କରନ୍ତି
ଓ ସେମାନେ ମୋʼ ଉତ୍ତରୀୟ ବସ୍ତ୍ର ପାଇଁ ଗୁଲିବାଣ୍ଟ କରନ୍ତି।
19 ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ମୋʼ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ;
ହେ ମୋହର ଆଶ୍ରୟ, ତୁମ୍ଭେ ମୋର ସାହାଯ୍ୟ ପାଇଁ ସତ୍ୱର ହୁଅ।
20 ଖଡ୍ଗରୁ ମୋʼ ପ୍ରାଣକୁ
ଓ କୁକ୍କୁରର ବଳରୁ ମୋହର ଏକମାତ୍ର ଆତ୍ମାକୁ ଉଦ୍ଧାର କର।
21 ସିଂହର ମୁଖରୁ ମୋତେ ନିସ୍ତାର କର;
ହଁ, ଅରଣା ଷଣ୍ଢର ଶୃଙ୍ଗରୁ ରକ୍ଷା କରି ତୁମ୍ଭେ ମୋତେ ଉତ୍ତର ଦେଇଅଛ।
22 ମୁଁ ଆପଣା ଭ୍ରାତୃଗଣ ନିକଟରେ ତୁମ୍ଭ ନାମ ପ୍ରଚାର କରିବି;
ସମାଜ ମଧ୍ୟରେ ମୁଁ ତୁମ୍ଭର ପ୍ରଶଂସା କରିବି।
23 ହେ ସଦାପ୍ରଭୁଙ୍କର ଭୟକାରୀଗଣ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର;
ହେ ଯାକୁବର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କର ସମାଦର କର;
ହେ ଇସ୍ରାଏଲର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କ ନିକଟରେ ଭୀତ ହୁଅ।
24 କାରଣ ସେ ଦୁଃଖୀର ଦୁଃଖ ତୁଚ୍ଛ କି ଘୃଣା କରି ନାହାନ୍ତି।
କିଅବା ସେ ତାହାଠାରୁ ଆପଣା ମୁଖ ଲୁଚାଇ ନାହାନ୍ତି;
ମାତ୍ର ସେ ତାହାଙ୍କୁ ଡାକନ୍ତେ, ସେ ଶୁଣିଲେ।
25 ମହାସମାଜ ମଧ୍ୟରେ ତୁମ୍ଭେ ହିଁ ମୋହର ପ୍ରଶଂସାଭୂମି;
ମୁଁ ତାହାଙ୍କ ଭୟକାରୀମାନଙ୍କ ସାକ୍ଷାତରେ ଆପଣା ମାନତସବୁ ପୂର୍ଣ୍ଣ କରିବି।
26 ନମ୍ର ଲୋକମାନେ ଭୋଜନ କରି ପରିତୃପ୍ତ ହେବେ;
ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ ତାହାଙ୍କୁ ପ୍ରଶଂସା କରିବେ;
ତୁମ୍ଭମାନଙ୍କ ଅନ୍ତଃକରଣ ନିତ୍ୟଜୀବୀ ହେଉ।
27 ପୃଥିବୀର ପ୍ରାନ୍ତସ୍ଥିତ ସମସ୍ତେ ସଦାପ୍ରଭୁଙ୍କୁ ସ୍ମରଣ କରି ତାହାଙ୍କ ପ୍ରତି ଫେରିବେ;
ଆଉ, ଅନ୍ୟ ଦେଶୀୟ ଗୋଷ୍ଠୀସକଳ ତୁମ୍ଭ* ତୁମ୍ଭ କିମ୍ବା ତାହାଙ୍କ ସମ୍ମୁଖରେ ପ୍ରଣାମ କରିବେ।
28 କାରଣ ରାଜ୍ୟ ସଦାପ୍ରଭୁଙ୍କର ଅଟେ;
ପୁଣି, ସେ ଗୋଷ୍ଠୀୟମାନଙ୍କର ଶାସନକର୍ତ୍ତା ଅଟନ୍ତି।
29 ପୃଥିବୀସ୍ଥ ହୃଷ୍ଟପୁଷ୍ଟ ଲୋକ ସମସ୍ତେ ଭୋଜନ କରି ପ୍ରଣାମ କରିବେ;
ଧୂଳିରେ ଲୀନ ହେବାକୁ ଉଦ୍ୟତ ସମସ୍ତେ, ଅର୍ଥାତ୍‍,
ଆପଣା ପ୍ରାଣ ବଞ୍ଚାଇବାକୁ ଅସମର୍ଥ ଲୋକ ତାହାଙ୍କ ଛାମୁରେ ମୁହଁ ମାଡ଼ି ପଡ଼ିବେ।
30 ଏକ ବଂଶ ତାହାଙ୍କର ସେବା କରିବେ;
ଭବିଷ୍ୟତ ବଂଶକୁ ପ୍ରଭୁଙ୍କ ବିଷୟ କୁହାଯିବ।
31 ସେମାନେ ଆସି ଭବିଷ୍ୟତରେ ଜାତ ହେବା ଲୋକଙ୍କ ନିକଟରେ ତାହାଙ୍କ ଧାର୍ମିକତା ପ୍ରଚାର କରି କହିବେ,
ସେ ଏହା ସାଧନ କରିଅଛନ୍ତି।

*22:27 ତୁମ୍ଭ କିମ୍ବା ତାହାଙ୍କ