13
ବାବିଲର ଦଣ୍ଡ
1 ବାବିଲ ବିଷୟକ ବାର୍ତ୍ତା, ଆମୋସର ପୁତ୍ର ଯିଶାଇୟ ଏହି ଦର୍ଶନ ପାଇଲେ।
2 ତୁମ୍ଭେମାନେ ବୃକ୍ଷଶୂନ୍ୟ ପର୍ବତ ଉପରେ ଧ୍ୱଜା ଟେକ, ଲୋକମାନଙ୍କ ପ୍ରତି ରବ ଉଠାଅ,
ହସ୍ତ ହଲାଅ, ସେମାନେ ଅଧିପତିମାନଙ୍କର ନଗର-ଦ୍ୱାରରେ ପ୍ରବେଶ କରନ୍ତୁ।
3 ଆମ୍ଭେ ଆପଣା ପବିତ୍ର ଲୋକମାନଙ୍କୁ ଆଦେଶ କରିଅଛୁ,
ହଁ, ଆମ୍ଭେ ଆପଣା କ୍ରୋଧ ସଫଳାର୍ଥେ ଆମ୍ଭର ବୀରମାନଙ୍କୁ, ଅର୍ଥାତ୍, ଆମ୍ଭର ଦର୍ପିତ ଉଲ୍ଲାସକାରୀଗଣଙ୍କୁ ଆହ୍ୱାନ କରିଅଛୁ।
4 ପର୍ବତମାନରେ ମହାଜନତାର ନ୍ୟାୟ ଲୋକସମୂହର ରବ ହେଉଅଛି!
ଏକତ୍ରୀକୃତ ଗୋଷ୍ଠୀୟମାନଙ୍କ ରାଜ୍ୟସମୂହର କଳରବ ହେଉଅଛି!
ସୈନ୍ୟାଧିପତି ସଦାପ୍ରଭୁ ଯୁଦ୍ଧାର୍ଥେ ସେନା ସଂଗ୍ରହ କରୁଅଛନ୍ତି।
5 ସେମାନେ, ଅର୍ଥାତ୍, ସଦାପ୍ରଭୁ ଓ ତାହାଙ୍କ କ୍ରୋଧରୂପ ଅସ୍ତ୍ରସବୁ ସମୁଦାୟ ଦେଶ ଉଚ୍ଛିନ୍ନ କରିବା ନିମନ୍ତେ ଦୂର ଦେଶରୁ,
ଆକାଶମଣ୍ଡଳର ପ୍ରାନ୍ତଭାଗରୁ ଆସୁଅଛନ୍ତି।
6 ତୁମ୍ଭେମାନେ ହାହାକାର କର; କାରଣ ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ; ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ନ୍ୟାୟ ତାହା ଆସିବ।
7 ଏହେତୁ ସକଳ ହସ୍ତ ଦୁର୍ବଳ ହେବ ଓ ପ୍ରତ୍ୟେକ ମାନବ ହୃଦୟ ତରଳି ଯିବ;
8 ପୁଣି, ସେମାନେ ଭୟଭୀତ ହେବେ; ଯନ୍ତ୍ରଣା ଓ ବେଦନା ସେମାନଙ୍କୁ ଆକ୍ରାନ୍ତ କରିବ; ସେମାନେ ପ୍ରସବକାରିଣୀ ସ୍ତ୍ରୀ ତୁଲ୍ୟ ବେଦନାଗ୍ରସ୍ତ ହେବେ;
ସେମାନେ ପରସ୍ପରର ବିଷୟରେ ଚମତ୍କୃତ ହେବେ; ସେମାନଙ୍କର ମୁଖ ଅଗ୍ନିଶିଖା ତୁଲ୍ୟ ହେବ।
9 ଦେଖ, ଦେଶ ଧ୍ୱଂସ କରିବାକୁ ଓ ତହିଁ ମଧ୍ୟରୁ ପାପୀମାନଙ୍କୁ ବିନାଶ କରିବାକୁ ସଦାପ୍ରଭୁଙ୍କର ଦିନ ଭୟଙ୍କର;
କ୍ରୋଧ ଓ ପ୍ରଚଣ୍ଡ କ୍ରୋଧ ସଂଯୁକ୍ତ ହୋଇ ଆସୁଅଛି।
10 କାରଣ ଆକାଶମଣ୍ଡଳର ତାରାଗଣ ଓ ତହିଁର ନକ୍ଷତ୍ରଗଣ ଦୀପ୍ତି ଦେବେ ନାହିଁ;
ସୂର୍ଯ୍ୟ ଆପଣା ଉଦୟ ସମୟରେ ଅନ୍ଧାରଗ୍ରସ୍ତ ହେବ ଓ ଚନ୍ଦ୍ର ଆପଣା ଜ୍ୟୋତ୍ସ୍ନା ପ୍ରକାଶ କରିବ ନାହିଁ।
11 ପୁଣି, ଆମ୍ଭେ ଜଗତକୁ ଦୁଷ୍ଟତା ସକାଶେ ଓ ଦୁଷ୍ଟମାନଙ୍କୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା
ଓ ଆମ୍ଭେ ଅହଙ୍କାରୀମାନଙ୍କର ଦର୍ପ ନିବୃତ୍ତ କରାଇବା ଓ ଭୟଙ୍କର ଲୋକର ଗର୍ବ ଖର୍ବ କରିବା।
12 ଆମ୍ଭେ ଉତ୍ତମ ସୁବର୍ଣ୍ଣ ଅପେକ୍ଷା ମର୍ତ୍ତ୍ୟକୁ ଓ ଓଫୀରର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ମନୁଷ୍ୟକୁ ଅଳ୍ପ କରିବା।
13 ଏହେତୁ ଆମ୍ଭେ ଆକାଶମଣ୍ଡଳକୁ କମ୍ପାନ୍ୱିତ କରିବା,
ଆଉ ସୈନ୍ୟାଧିପତି ସଦାପ୍ରଭୁଙ୍କ କୋପରେ ଓ ତାହାଙ୍କ ପ୍ରଚଣ୍ଡ କ୍ରୋଧର ଦିନରେ ପୃଥିବୀ ଟଳି ସ୍ୱସ୍ଥାନ ଚ୍ୟୁତ ହେବ।
14 ତହିଁରେ ଏପରି ଘଟିବ ଯେ, ତାଡ଼ିତ ହରିଣର ନ୍ୟାୟ ଓ ଅରକ୍ଷକ ମେଷ ତୁଲ୍ୟ
ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ଗୋଷ୍ଠୀ ପ୍ରତି ଫେରିବେ ଓ ପ୍ରତ୍ୟେକେ ଆପଣା ଆପଣା ଦେଶ ଆଡ଼କୁ ପଳାୟନ କରିବେ।
15 ଯେକୌଣସି ଲୋକର ଉଦ୍ଦେଶ୍ୟ ମିଳିବ, ତାହାକୁ ଅସ୍ତ୍ରବିଦ୍ଧ ହେବ ଓ ଯେକୌଣସି ଲୋକକୁ ଧରାଯିବ, ସେ ଖଡ୍ଗରେ ପତିତ ହେବ।
16 ସେମାନଙ୍କର ଶିଶୁଗଣ ମଧ୍ୟ ସେମାନଙ୍କ ଦୃଷ୍ଟିଗୋଚରରେ କଚଡ଼ା ଯିବେ;
ସେମାନଙ୍କର ଗୃହ ଲୁଟିତ ହେବ ଓ ସେମାନଙ୍କର ଭାର୍ଯ୍ୟାମାନେ ବଳାତ୍କାରରେ ଭ୍ରଷ୍ଟ କରାଯିବେ।
17 ଦେଖ, ଆମ୍ଭେ ସେମାନଙ୍କ ପ୍ରତିକୂଳରେ ମାଦୀୟମାନଙ୍କୁ ଉତ୍ତେଜିତ କରିବା,
ସେମାନେ ରୂପାକୁ ଅନାଇବେ ନାହିଁ ଓ ସୁନାରେ ସେମାନେ ତୁଷ୍ଟ ହେବେ ନାହିଁ।
18 ସେମାନଙ୍କର ଧନୁ ଯୁବକମାନଙ୍କୁ କଚାଡ଼ି ପକାଇବ
ଓ ସେମାନେ ଗର୍ଭର ଫଳ ପ୍ରତି କିଛି ଦୟା କରିବେ ନାହିଁ, ବାଳକଗଣ ପ୍ରତି ସେମାନଙ୍କର କୃପାଦୃଷ୍ଟି ହେବ ନାହିଁ।
19 ପୁଣି, ରାଜ୍ୟସମୂହର ଗୌରବ ସ୍ୱରୂପ ଓ କଲ୍ଦୀୟମାନଙ୍କ ଦର୍ପର ଲାବଣ୍ୟ ସ୍ୱରୂପ ଯେ ବାବିଲ,
ତାହା ପରମେଶ୍ୱରଙ୍କ ଦ୍ୱାରା ଉତ୍ପାଟିତ ସଦୋମ ଓ ହମୋରାର ତୁଲ୍ୟ ହେବ।
20 ତାହା କଦାପି ବସତି ସ୍ଥାନ ହେବ ନାହିଁ, ପୁରୁଷ ପୁରୁଷାନୁକ୍ରମେ କେହି ତହିଁରେ ବାସ କରିବେ ନାହିଁ;
ଆରବୀୟ ଲୋକେ ସେଠାରେ ତମ୍ବୁ ପକାଇବେ ନାହିଁ, କିଅବା ମେଷପାଳକମାନେ ଆପଣା ଆପଣା ପଲ ସେଠାରେ ଶୁଆଇବେ ନାହିଁ।
21 ମାତ୍ର ବନ୍ୟ ପଶୁମାନେ ସେହି ସ୍ଥାନରେ ଶୟନ କରିବେ ଓ ସେମାନଙ୍କର ଗୃହ ଚିତ୍କାରକାରୀ ଜନ୍ତୁରେ ପରିପୂର୍ଣ୍ଣ ହେବ;
ଓଟପକ୍ଷୀ ସେଠାରେ ବାସ କରିବେ ଓ ଛାଗମାନେ ସେଠାରେ ନୃତ୍ୟ କରିବେ।
22 ପୁଣି, କେନ୍ଦୁଆମାନେ ସେମାନଙ୍କ ଅଟ୍ଟାଳିକାରେ ଓ ଶୃଗାଳମାନେ ସେମାନଙ୍କ ମନୋରମ ପ୍ରାସାଦରେ ବୋବାଇବେ; ତାହାର କାଳ ନିକଟବର୍ତ୍ତୀ ଓ ତାହାର ଦିନସବୁ ଦୀର୍ଘ ହେବ ନାହିଁ।